ଥଣ୍ଡା, କାଶରୁ ମୁକ୍ତି ଚାହାଁନ୍ତି କି ? ଦୂରେଇ ରୁହନ୍ତୁ ଏହି ୬ଟି ଖାଦ୍ୟଠାରୁ

0
48
get rid of cough and cold in winter
Get rid of Cough and Cold in Winter, If you Will Avoid These 6 Food

ଆରମ୍ଭ ହୋଇ ସାରିଲାଣି ଶୀତ ଦିନ । ଆଉ ଶୀତ ଋତୁ ହେଉଛି ବଣଭୋଜି ଓ ଭ୍ରମଣର ଦିନ। ଏହି ଋତୁକୁ ମନଭରି ଉପଭୋଗ କରିବାକୁ ସମସ୍ତେ ଚାହାନ୍ତି। କିନ୍ତୁ ଶୀତ ଦିନେ ଥଣ୍ଡା ଜ୍ୱର ଏବଂ କାଶ ହେବା ସାଧାରଣ କଥା । ଛୋଟରୁ ବଡ ସମସ୍ତେ ଏହାର ଶିକାର ହୋଇଥାଆନ୍ତି । ସ୍ୱାସ୍ଥ୍ୟ ପ୍ରତି ଯେତେ ସଚେତନ ରହିଲେ ମଧ୍ୟ ଥଣ୍ଡା କାଶ, ଜ୍ୱର ପିଛା ଛାଡେନି ।  ଥଣ୍ଡା କାଶ ଅଧିକ ଦିନ ରହିଲେ ଶରୀର ପାଇଁ ଭଲ ନୁହେଁ । ତେଣୁ ଏହି ଋତୁରେ ଶରୀରକୁ ଫିଟ୍ ରଖିବା ନିହାତି ଆବଶ୍ୟକ । ସେଥିପାଇଁ ଶୀତଦିନ ଆସିବା ପୂର୍ବରୁ ହିଁ ବିଭିନ୍ନ ପ୍ରକାର ଔଷଧ ସହ ଘରେ ଘରେ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି । କିନ୍ତୁ ସାଧାରଣତଃ ଥଣ୍ଡା, କାଶ ହେଲେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ୍ ତାହା ଉପରେ ସମସ୍ତେ ଧ୍ୟାନ ଦେଇଥାନ୍ତି  । ହେଲେ କେଉଁ ଖାଦ୍ୟ ଖାଇବା ଅନୁଚିତ୍ ତାହାକୁ ପ୍ରାୟ ଭୁଲି ଯାଆନ୍ତି  । ଯଦି ଆପଣ ଏହା ଉପରେ ଗୁରୁତ୍ୱ ଦେବେ ତେବେ ଖୁବ୍ ଶୀଘ୍ର ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏବେ ନଜର ପକାନ୍ତୁ ଥଣ୍ଡା ଏବଂ କାଶ ହେଲେ କେଉଁ ୬ଟି ଖାଦ୍ୟଠାରୁ ଦୁରେଇ ରହିବେ  ଏବଂ କାହିଁକି ।

ଫାଷ୍ଟ ଫୁଡ୍:

ଫାଷ୍ଟ ଫୁଡ୍ ଖାଇବାକୁ କିଏ ବା ପସନ୍ଦ ନକରେ। ଲୋକମାନଙ୍କ ଏହି ପସନ୍ଦକୁ ଆଖି ଆଗରେ ଆଜି କାଲି ପ୍ରାୟ ସବୁଆଡେ ଉପଲବ୍ଧ ଏହି ଫାଷ୍ଟ ଫୁଡ୍। କିନ୍ତୁ ପାଟିକୁ ସୁଆଦ ଲାଗୁଥିବା ଏହି ସବୁ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଯେ କେତେ କ୍ଷତିକାରକ ତାହା ସମସ୍ତଙ୍କୁ ଜଣା । ଫାଷ୍ଟ୍ ଫୁଡ୍ ଶରୀରର ହଜମ ପ୍ରକ୍ରିୟାକୁ ଦୁର୍ବଳ କରିଦେଇଥାଏ  । ତେଣୁ କେବଳ ଥଣ୍ଡା ଜ୍ୱର ନୁହେଁ ବରଂ ଅନ୍ୟ ସମୟରେ ମଧ୍ୟ ଏହି ସବୁ ପ୍ରକାର ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍ । ଫାଷ୍ଟ ଫୁଡ୍ ବା ଜଙ୍କ୍ ଫୁଡ୍ ଶରୀରରେ ଫ୍ୟାଟ୍ ମଧ୍ୟ ବଢାଇଥାଏ ।  ନଚେତ୍ ଟେଷ୍ଟ ପାଇଁ ଆଜି ଖାଉଥିବା ଏହି ସବୁ ଖାଦ୍ୟ ଆସନ୍ତାକାଲି ଆପଣଙ୍କୁ ଡାକ୍ତରଖାନାର ରାସ୍ତା ଦେଖାଇପାରେ।

ଫଳ ରସ ବା ଜୁସ୍:

ଏଥିରେ କୌଣସି ଦ୍ୱିମତ ନାହିଁ ଯେ ବିଭିନ୍ନ ପ୍ରକାର ଫଳର ଜୁସ୍ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ । କିନ୍ତୁ କଣ ଆପଣ ଜାଣନ୍ତି କାଶ ଏବଂ ଥଣ୍ଡା ସମୟରେ ଏହି ଜୁସ୍ ଶରୀର ଉପରେ ଓଲଟା ପ୍ରଭାବ ପକାଇଥାଏ  । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ , ଏହି ସବୁ ଜୁସରେ ମାତ୍ରାଧିକ ସୁଗାର୍ ଥାଏ । ଯାହା ଶରୀରରେ ଥିବା ଧଳା ରକ୍ତ କୋଷର ରୋଗପ୍ରତିରୋଧକ କ୍ଷମତାକୁ ହ୍ରାସ କରି ଦେଇଥାଏ  । ଏହା ବ୍ୟତୀତ ଜୁସରେ ଥିବା ଏସିଡ୍ ଅଂଶ ଯୋଗୁ ତଣ୍ଟି ପୋଡିଥାଏ । ତେଣୁ ଯଦି ଆପଣ ଥଣ୍ଡା ବା କାଶରେ ପୀଡିତ ତେବେ ବିଭିନ୍ନ ପ୍ରକାର ଜୁସ୍ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ଫ୍ରାଏଡ୍ ସ୍ନାକ୍ସ:

ଯେକୌଣସି ପକୋଡା ହେଉ ବା ସିଙ୍ଗଡା କିମ୍ବା ଅନ୍ୟ ତେଲ ଜାତୀୟ ଖାଦ୍ୟ  । ଏସବୁକୁ ଥଣ୍ଡା ଏବଂ କାଶ ସମୟରେ ଖାଇବା ଅନୁଚିତ୍  । କାରଣ ଏହି ସବୁ ଖାଦ୍ୟ ପଦାର୍ଥରେ ମାତ୍ରାଧିକ ଫ୍ୟାଟ୍ ଥାଏ  । ଥଣ୍ଡା ଜ୍ୱର ସମୟରେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ତଣ୍ଟି ଏବଂ ପେଟ ଜଳା ପୋଡା ହେବାର ସମ୍ଭାବନା ଯଥେଷ୍ଟ ଅଧିକ । ତେଣୁ ଏସବୁ ଖାଦ୍ୟଠାରୁ ଯଥା ସମ୍ଭବ ଦୂରରେ ରହିବା ଉଚିତ୍  । ନଚେତ୍ ଆପଣଙ୍କ ରୋଗପ୍ରତିରୋଧକ କ୍ଷମତା ଧୀରେ ଧୀରେ ଦୁର୍ବଳ ହୋଇପଡିବ।

କେଫିନ୍:

ସେହିପରି ଥଣ୍ଡା ସମୟରେ କେଫିନ୍ ବା କଫି ଜାତୀୟ ପାନୀୟଠାରୁ ଦୂରରେ ରହିବା ନିହାତି ଆବଶ୍ୟକ  । ଏହା ତଂଟିକୁ ଶୁଷ୍କ କରିଦିଏ । ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ଅନେକ ସମସ୍ୟା ହୋଇଥାଏ ।

ଆଲକୋହଲ୍:

ଅନେକ ଲୋକଙ୍କ ବିଶ୍ୱାସ ଯେ ଅଳ୍ପ ଟିକିଏ ଆଲକୋହଲ୍ ପିଇବା ଦ୍ୱାରା ଥଣ୍ଡା ଛାଡିଯିବା ସହ ତୁରନ୍ତ ଶରୀରକୁ ଆରାମ ମିଳିଥାଏ  । ତେବେ ଯଦି ଆପଣ ଏମିତି ଭାବୁଥାନ୍ତି ତାହେଲେ ଭୁଲ୍ ଭାବୁଛନ୍ତି । ଆଲକୋହଲ୍ କୌଣସି ବି କ୍ଷେତ୍ରରେ ଶରୀର ପାଇଁ ଭଲ ନୁହେଁ  । ଏହା ଶରୀରରୁ ଥଣ୍ଡାକୁ ଦୂରେଇ ନଥାଏ ବରଂ ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ । ଏହା ଶରୀରରେ ଥିବା ଜଳୀୟ ଅଂଶକୁ କମାଇବା ସହ ଇମ୍ୟୁନ୍ ସିଷ୍ଟମକୁ ମଧ୍ୟ ଦୁର୍ବଳ କରିଦିଏ  ।

ଦୁଗ୍ଧ ଜାତୀୟ ଖାଦ୍ୟ:

ସେହିପରି ଦୁଗ୍ଧ ଜାତୀୟ ଖାଦ୍ୟ ଯେମିତିକି କ୍ଷୀର, ଦହି, ଛେନା ଇତ୍ୟାଦିକୁ ଥଣ୍ଡା ଜ୍ୱର ସମୟରେ ଖାଇବା ଅନୁଚିତ୍  । ପ୍ରାୟ ଘରେ ଘରେ ଥଣ୍ଡା ଜ୍ୱର ହେଲେ କ୍ଷୀର ବା କ୍ଷୀର ଜାତୀୟ ଦ୍ରବ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ।  ଯଦି ଆପଣ ବି ଏହି ବିଶ୍ୱାସର ବସବର୍ତ୍ତୀ  ଥଣ୍ଡା ଜ୍ୱର ସମୟରେ ଦୁଗ୍ଧ ଜାତୀୟ ଖାଦ୍ୟ ଖାଉଥାନ୍ତି ତେବେ ସାବଧାନ୍ ହୋଇଯାଆନ୍ତୁ । କାରଣ ଏସବୁ ଖାଦ୍ୟ କଫର ଗଭୀରତା ଏବଂ ତୀବ୍ରତାକୁ ବଢାଇ ଦେଇଥାଏ  । ଏବଂ ସହଜରେ କଫ ଏବଂ କଫ ଯନ୍ତ୍ରଣାରୁ ମୁକ୍ତି ମିଳିନଥାଏ ।

ଆପଣ ମାନଙ୍କୁ ଯଦି ଏହି ବିୟୁଟି ଟିପ୍ସ୍ ଟି ଭଲ ଲାଗିଥାଏ ତେବେ ଦୟାକରି ଏହାକୁ ସେୟାର କରିବାକୁ ଭୁଲିବେନି।