ଏଣିକି ବିପଦରେ ବନ୍ଧୁ ପାଲଟିବ ଫେସବୁକ୍ ! ପ୍ରାକୃତିକ ଦୁର୍ବିପାକରୁ ରକ୍ଷା କରିବ ନୂଆ ଫିଚର୍ ‘ଡିଜାଷ୍ଟର୍ ମ୍ୟାପ୍’

0
31
disaster map of facebook

ଏବେ ଖାଲି ଖୁସିର ମୁହୂର୍ତ୍ତରେ ନୁହେଁ ବିପଦ ସମୟର ବନ୍ଧୁ ପାଲଟିବ ଫେସବୁକ୍ ।  ପ୍ରାକୃତିକ ଦୁର୍ବିପାକ ସମୟରେ ରକ୍ଷା କରିବ ଫେସବୁକ୍  । ଅସୁବିଧାରେ ଫସିଥିବା ନିଜ ପ୍ରିୟଜନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିବ ଆପଣଙ୍କ ପ୍ରିୟ ସୋସିଆଲ୍ ନେଟୱର୍କ  । ଆଉ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ଉଦ୍ଧାର କାର୍ଯ୍ୟ କରୁଥିବା ଏଜେନ୍ସି । ସୋସିଆଲ୍ ମିଡିଆ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଫେସବୁକ୍ ଏବେ ଆସିଛି ଏଭଳି ଏକ ନୂଆ ଫିଚର ସହ  । ଯାହାର ନାଁ ହେଉଛି ଡିଜାଷ୍ଟର୍ ମ୍ୟାପ୍  ।

ଗତ କିଛି ଦିନ ଧରି ୟୁଜରଙ୍କ ପସନ୍ଦକୁ ଆଖି ଆଗରେ ରଖି ଦିନକୁ ଦିନ ନୂଆ ନୂଆ ଫିଚର୍ ଆଣୁଛି ଫେସବୁକ୍  । ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ଆଣି ବେଶ୍ ଲୋକପ୍ରିୟ ହେଇଥିଲା ଫେସବୁକ୍। ଏବେ ପୁଣି ଏକ ନୂଆ ଫିଚର ନିଜ ୟୁଜରଙ୍କ ପାଇଁ ଆଣି ଦେଇଛି  ।  ପ୍ରାକୃତିକ ଦୁର୍ବିପାକ ସମୟରେ ସାହାଯ୍ୟ ପାଇଁ ଏହି ଡିଜାଷ୍ଟର୍ ମ୍ୟାପ୍ ତିଆରି କରିଛି ଫେସବୁକ୍  । ଏହା ପୂର୍ବରୁ ଫେସବୁକ୍ ଏହି ମ୍ୟାପ୍ ଆମେରିକା ସହିତ ଅନ୍ୟ ରାଷ୍ଟ୍ର ପାଇଁ ମଧ୍ୟ ଆରମ୍ଭ କରିଥିଲା  । ଏବେ ଏହାର ଭାରତୀୟ ଭର୍ସନ ଆରମ୍ଭ କରିଛି ।

ଭାରତରେ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ ପାଇଁ ଏହି ଟୁଲ୍ ତିଆରି ହୋଇଛି  । ସକରାରୀ ସଂସ୍ଥା ଏନଡିଏମଏ ଏବଂ ଏବଂ ବେସକାରୀ ସଂସ୍ଥା ସିଡସ ଇନ୍ ଇଣ୍ଡିଆର ସହଯୋଗରେ ଏହି ଡିଜାଷ୍ଟର ମ୍ୟାପ୍ ତିଆରି କରିଛି ଫେସବୁକ୍  । କୌଣସି ଦୁର୍ବିପାକ ସମୟରେ ଏହି ଏଜେନ୍ସି ଗୁଡିକୁ ଫେସବୁକ୍ ନିଜ ନୂଆ ଫିଚର୍ ଜରିଆରେ ସମାଧାନର ରାସ୍ତା ଦେଖାଇବ  । ଏହି ଫିଚର୍ ଜରିଆରେ ପ୍ରଭାବିତ ଅଂଚଳର ଲୋକେସନ୍ ଏବଂ ତା ସମ୍ବନ୍ଧୀୟ ସମସ୍ତ ଜରୁରୀ ତଥ୍ୟ ମିଳିପାରିବ  । କୌଣସି ବି ପରିସ୍ଥିତିରେ ପ୍ରଭାବିତ ଅଂଚଳର ଲୋକଙ୍କୁ ସାହାଯ୍ୟ କରିବା ସହ ଉଦ୍ଧାର କାର୍ଯ୍ୟ କରିବା ମୂଳ ଲକ୍ଷ ବୋଲି କହିଛନ୍ତି ଫେସବୁକର ପ୍ରମୁଖ ପ୍ରୋଗ୍ରାମ୍ ରିତେଶ୍ ମେହେତା  ।

ମିଳିବ ସଠିକ୍ ସୂଚନା :

ଫେସବୁକର ଏହି ନୂଆ ଫିଚର ମାଧ୍ୟମରେ ସଙ୍କଟ ପୂର୍ବରୁ ଏବଂ ପରେ ଏଜେନ୍ସି ମାନଙ୍କ ନିକଟରେ ସଠିକ୍ ସୂଚନା ରହିବ  । ତେବେ କମ୍ପାନି ଗ୍ଲୋବାଲ୍ ସ୍ତରରେ ଏହି ଡିଜାଷ୍ଟର ମ୍ୟାପର ସୁବିଧା ଜୁନ୍ ମାସରେ ଆଣିଥିଲେ । ଏହା ପୂର୍ବରୁ ଆମେରିକାରେ ଡିଜାଷ୍ଟର୍ ସମୟରେ ସମାଧାନର ବାଟ ବାହାର କରିସାରିଛି ଫେସବୁକର ଏହି ଡିଜାଷ୍ଟର୍ ମ୍ୟାପ୍ ।

ସେହିପରି ମୋବାଇଲରେ ଅପସନ୍ ବ୍ୟବହାର କରି ଆପଣ ୱାଇଫାଇ ନେଟୱର୍କ ଖୋଜୁଥିଲେ,ଏଣିକି ନିଜେ ଫେସବୁକ୍ ଏହି ସୁବିଧା ଯୋଗାଇ ଦେବ। ଏଥିରେ ଥିବା ଫାଇଣ୍ଡ୍ ୱାଇଫାଇ ଅପସନ୍ ସାହାଯ୍ୟରେ ମୋବାଇଲରେ ୱାଇଫାଇ ନେଟୱର୍କ ବା ମୋବାଇଲ ହଟସ୍ପଟ୍ ସିଗନାଲ୍ ଖୋଜି ପାରିବେ। ଫେସବୁକ ଖୁବଶୀଘ୍ର ଗ୍ରାହକଙ୍କୁ ଏହି ସୁବିଧା ଯୋଗାଇ ଦେବ ବୋଲି ସୂଚନା ଦେଇଛନ୍ତି ଏହାର ଇଞ୍ଜିନିୟରିଂ ଡାଇରେକ୍ଟର ଏଲେକ୍ସ ହିମଲେ।

ସେ କହିଛନ୍ତି, ବିଶ୍ୱର ଆଇଓଏସ୍ ଓ ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯିବ। ଏହାଦ୍ୱାରା ମୋବାଇଲ ସେଲ୍ୟୁଲାର ଡାଟା କମ୍ ଥିବା ଗ୍ରାହକଙ୍କୁ ଅନେକ ଫାଇଦା ମିଳିବ। ସେଥିପାଇଁ ଫେସବୁକ୍ ଆପ୍‌କୁ ଖୋଲି ସେଥିରେ ଥିବା ‘ମୋର୍’ ଅପସନକୁ ଯାଇ ଫାଇଣ୍ଡ ୱାଇଫାଇ ଅପସନ୍ ଉପରେ କ୍ଲିକ୍ କରି ଏହି ସେବାର ଲାଭ ଉଠାଇ ପାରିବେ।